Breaking
News
Breaking
News
09-Oct-2026
ସିକରପାଇରେ ଭୈରବ ବାଲି ଯାତ୍ରା,ନିଆଁ ମାଡ଼ି ମାନସିକ ପୂରଣ କଲେ ଶ୍ରଦ୍ଧାଳୁ, ହଜାର ହଜାର ଭକ୍ତଙ୍କ ସମାଗମ
ଓଡିଶା ଜନମତ ରାୟଗଡା, ୦୯/୧୦ ( କାମେଶ୍ୱର କରକରିଆ):- ରୀତିନୀତି, ପରମ୍ପରା ଓ ଆଧ୍ୟାତ୍ମିକ ବିଶ୍ୱାସର ଅନନ୍ୟ ନିଦର୍ଶନ ଭାବେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତ ସଦର ମହକୁମାରେ ପାଳିତ ହୋଇଛି ପ୍ରସିଦ୍ଧ ଭୈରବ ବାଲି ଯାତ୍ରା। ନିଆଁ ମାଡ଼ି ଯାତ୍ରା ନାମରେ ମଧ୍ୟ ପରିଚିତ ଏହି ପାରମ୍ପରିକ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଦୂରଦୂରାନ୍ତରୁ ଭକ୍ତମାନେ ଆସି ଭୈରବଙ୍କ ଦର୍ଶନ କରିବା ସହ ନିଜ ନିଜର ମାନସିକ ପୂରଣ ପାଇଁ ପୂଜାର୍ଚ୍ଚନା କରିଥିଲେ। ପରମ୍ପରା ଅନୁଯାୟୀ ଗତ ମାସ ୧୫ତାରିଖରେ ନୂଆଖାଇ ଦିନ ପୂଜକ ରାଉତ ଗାଣ୍ଟା, ରହିଦାସ ଓ ରାଜୀବ ଖଣ୍ଡରିଆଙ୍କ ଦ୍ୱାରା ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ନଦୀରୁ ବାଲି ଆଣି ଭୈରବ ମନ୍ଦିରରେ ସ୍ଥାପନ କରି ସେଥିରେ ପଞ୍ଚଶସ୍ୟ ବୁଣାଯାଇଥିଲା। ସାତ ଦିନ ପରେ ପୂର୍ବପୁରୁଷଙ୍କ ସମୟରୁ ଚଳିଆସୁଥିବା ପ୍ରଥା ଅନୁଯାୟୀ ଜାନିସାହିର ସିଙ୍ଗି କୁର୍ସିକା ଓ ଅର୍ଜୁନ କୁର୍ସିକାଙ୍କ ଘରୁ ଛତ୍ର ଅଣାଯାଇ ଗ୍ରାମ ପରିକ୍ରମା କରାଯିବା ପରେ ଯାତ୍ରା ପଡ଼ିଆରେ ସ୍ଥାପନ କରାଯାଇଥିଲା। ଯାତ୍ରାର ଶେଷ ଦିନରେ ନାୟକ ସାହିର ସାନ ନାୟକ ଓ ସନ୍ତୋଷ ନାୟକଙ୍କ ଘରୁ କଣ୍ଟାଦୋଳି ଅଣାଯାଇ ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ଯାତ୍ରା ପଡ଼ିଆରେ ସ୍ଥାପନ କରାଯାଇଥିଲା। ଏହାପରେ କାମୀ ମୁଣ୍ଡା ମନ୍ଦିର ସମ୍ମୁଖରେ ଆସି ନିର୍ଦ୍ଧାରିତ ବିଧି ପାଳନ କରିବା ପରେ ଯାତ୍ରା ଆରମ୍ଭ ହୋଇଥିଲା। ପୂଜକଙ୍କୁ କାଳସ ଲାଗି ହେବା ପରେ ଶ୍ରଦ୍ଧାଳୁମାନେ ଚାଉଳ ଦେଖାଇ ନିଜ ନିଜର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ପରେ କଣ୍ଟାଦୋଳିରେ ଝୁଲିବା ଓ ନିଆଁ ମାଡ଼ିବା ଭଳି ପାରମ୍ପରିକ ବିଧି ପାଳନ ସହ ଯାତ୍ରା ସମାପ୍ତ ହୋଇଥିଲା। ପୂଜକ କୁ କାଳସ ଲାଗି ହେବା ପରେ ଭକ୍ତ ମାନେ ଚାଉଳ ଦେଖାଇ ତାଙ୍କର ସମସ୍ୟା ବୁଝି କଣ୍ଟା ଦୋଳିରେ ଝୁଲନ୍ତି । ମାନସିକ ଧାରୀ ମାନେ ଆଣିଥିବା ପାରା, କୁକୁଡ଼ା, ଛେଳି ପଶୁ ବଳି ସହ ଭୋଗ ଦେଇ ମନସ୍କାମନା ପୂରଣ କରିଥାନ୍ତି।ଏହି ଯାତ୍ରାକୁ କେନ୍ଦ୍ର କରି ପଡ଼ିଆରେ ବିଭିନ୍ନ ପ୍ରକାର ଦୋକାନ ବଜାର ଖୋଲିଥିବା ବେଳେ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ଭୈରବଙ୍କ ଉପରେ ଗଭୀର ଆସ୍ଥା ରଖିଥିବା ଶ୍ରଦ୍ଧାଳୁମାନେ ଦୂରଦୂରାନ୍ତରୁ ଆସି ଯାତ୍ରାରେ ସାମିଲ ହୋଇଥିଲେ। ଶିକରପାଇ ଆମ୍ବେଦକର ଯୁବଗୋଷ୍ଠୀର ସମସ୍ତ ସଦସ୍ୟ ଉପସ୍ଥିତ ରହି ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ। ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଥିଲା।
BACK TO TOP