Breaking
News
Breaking
News
16-Oct-2026
ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ୍, ଶପଥ ଗ୍ରହଣ ପୂର୍ବରୁ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ।
ଠେଲାପେଲାରୁ ଉତ୍ତେଜନା, ୫ ଜଣଙ୍କୁ ଥାନାକୁ ନେଲା ପୁଲିସ; ନିର୍ବାଚନରେ ଅନିୟମିତତା ଓ ଟଙ୍କା ବଣ୍ଟା ଅଭିଯୋଗକୁ ନେଇ ଚର୍ଚ୍ଚା
ହିଞ୍ଜିଳିକାଟୁ, (୧୬/୧୦) : ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ଲାଗି ରହିଥିବା ଉତ୍ତେଜନା ଥମିବାର ନାଁ ଧରୁନି। ନିର୍ବାଚନ ଫଳାଫଳ ପ୍ରକାଶ ପରେ ଏବେ ଶପଥ ଗ୍ରହଣକୁ କେନ୍ଦ୍ର କରି ଅଶାନ୍ତ ହୋଇପଡ଼ିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ କ୍ୟାମ୍ପସ୍। ଶପଥ ଗ୍ରହଣ ପୂର୍ବରୁ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବା ସହ ଠେଲାପେଲା ଓ ଗଣ୍ଡଗୋଳ ଘଟିଥିବା ଜଣାପଡ଼ିଛି। ଘଟଣାକୁ ନେଇ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପୁଲିସ ହସ୍ତକ୍ଷେପ କରି ସ୍ଥିତି ନିୟନ୍ତ୍ରଣକୁ ଆଣିଛି।
ସୂଚନା ଅନୁସାରେ, ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ସଭାପତି ପଦକୁ ବାଦ୍ ଦେଲେ ଅନ୍ୟ ସମସ୍ତ ପଦରେ ବିସିଜେଡି (BCJD) ସମର୍ଥିତ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ତେବେ ଗତକାଲି ନିର୍ବାଚନ ଫଳାଫଳ ପ୍ରକାଶରେ ବିଳମ୍ବକୁ ନେଇ କଲେଜରେ ଉତ୍ତେଜନା ଦେଖାଦେଇଥିଲା। ଏହାର ଦିନକ ପରେ ଆଜି ଶପଥ ଗ୍ରହଣ ପୂର୍ବରୁ ପୁଣି ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ବିବାଦ ତୀବ୍ର ରୂପ ନେଇଥିବା ଜଣାପଡ଼ିଛି।
ଘଟଣାସ୍ଥଳରେ ଆସିକା ଏସ୍ଡିପିଓ ଓ ହିଞ୍ଜିଳି ପୁଲିସ ଉପସ୍ଥିତ ଥିବା ସତ୍ତ୍ୱେ ଗଣ୍ଡଗୋଳ ଘଟିଥିବା ଅଭିଯୋଗ ହୋଇଛି। ପୁଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ତେବେ ଘଟଣାର ପ୍ରକୃତ କାରଣ ଓ ପୁଲିସର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଧିକାରିକ ସ୍ପଷ୍ଟୀକରଣ ମିଳିନାହିଁ। ଅନ୍ୟପକ୍ଷରେ, ନିର୍ବାଚନ ସମୟରେ ଛାତ୍ରଛାତ୍ରୀଙ୍କୁ ଭୋଟ୍ ପିଛା ୧ ହଜାର ରୁ ୩ ହଜାର ଟଙ୍କା ବଣ୍ଟନ କରାଯାଉଥିବା ନେଇ ଏକ ଅଭିଯୋଗ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିସହ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ସ୍ୱାଧୀନ ଭାବେ ଯାଞ୍ଚ କରିବାକୁ ନେଇ BCJD ପକ୍ଷରୁ ଦାବି କରାଯାଇଛି । ବହୁ ଦିନ ପରେ ଛାତ୍ର ନିର୍ବାଚନ ହୋଇଥିବା ବେଳେ ହିଞ୍ଜିଳି କଲେଜ କ୍ୟାମ୍ପସ କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜାରି ରହିଛି। ନିର୍ବାଚନକୁ ନେଇ ପୂର୍ବରୁ ଉତ୍ତେଜନା, ଫଳାଫଳ ପ୍ରକାଶରେ ବିଳମ୍ବକୁ ନେଇ ଅସନ୍ତୋଷ ଏବଂ ଏବେ ଶପଥ ଗ୍ରହଣ ପୂର୍ବରୁ ଗଣ୍ଡଗୋଳ—ଏସବୁ ଘଟଣା ମହାବିଦ୍ୟାଳୟର ଶୈକ୍ଷିକ ପରିବେଶକୁ ନେଇ ପ୍ରଶ୍ନ ଉଠାଇଛି। ଛାତ୍ର ସଂସଦ ନିର୍ବାଚନକୁ ନେଇ ସୃଷ୍ଟି ହୋଇଥିବା ଏହି ବିବାଦର ସ୍ଥାୟୀ ସମାଧାନ ସହ କ୍ୟାମ୍ପସ୍ରେ ଶାନ୍ତି ଫେରାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଆଶା ପ୍ରକାଶ ପାଇଛି। ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।
BACK TO TOP