Breaking
News
Breaking
News
21-Oct-2026
୨୬ଟି ହମ୍ପ୍ସ ଯୋଗୁଁ ଦୁର୍ଘଟଣା |
ମାତ୍ର ୨ କିଲୋମିଟର ରାସ୍ତାରେ ଯାତାୟାତ ଯନ୍ତ୍ରଣା, ପ୍ରଶାସନର ହସ୍ତକ୍ଷେପ ଦାବି
ଓଡିଶା ଜନମତ ରାୟଗଡା,୨୧/୧୦ (କାମେଶ୍ୱର କରକରିଆ): ରାସ୍ତାରେ ଦୁର୍ଘଟଣା ରୋକିବା ଓ ଗାଡ଼ିର ବେଗ ନିୟନ୍ତ୍ରଣ କରିବା ପାଇଁ ହମ୍ପ୍ସ ନିର୍ମାଣ କରାଯାଉଛି। ହେଲେ ଅଳ୍ପ ଦୂରତାରେ ଅଧିକ ସଂଖ୍ୟକ ହମ୍ପ୍ସ ରହିବା ଯୋଗୁଁ ଯାତାୟାତରେ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ୁଥିବା ଅଭିଯୋଗ ହୋଇଛି। ଏଭଳି ଏକ ସମସ୍ୟା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଗତ ବୁଧବାର ସନ୍ଧ୍ୟା ସମୟରେ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ପଲକାଲିମା ଗ୍ରାମର ଅଜୟ କଂଜାକା ଓଡି ୧୮ ଜେ ୧୫୬୨ ନମ୍ବର ବିଶିଷ୍ଟ ଗାଡ଼ି ଯୋଗେ କୌଣସି କାମରେ କଲ୍ୟାଣସିଂହପୁର ଆସିଥିଲେ। କାମ ସାରି ନିଜ ଗାଁକୁ ଫେରୁଥିବା ସମୟରେ କତାଗୁଡ଼ା କୁମ୍ଭାର ସାହି ନିକଟରେ ସେ ଗାଡ଼ିରୁ ଖସି ପଡ଼ିଥିଲେ। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଦେଖି କତାଗୁଡ଼ା ଗ୍ରାମର କାମେଶ୍ୱର କରକରିଆ ତୁରନ୍ତ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ଉପଲବ୍ଧ ନଥିବାରୁ ସେ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ। ଖବର ପାଇ ଅଗ୍ନିଶମ ବିଭାଗର ଗାଡ଼ି ପହଞ୍ଚି ଆହତ ଯୁବକଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ କାର୍ଯ୍ୟରତ ଡାକ୍ତର ସମ୍ୟରଞ୍ଜନ ଜେନା ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ସବୁଠାରୁ ଚିନ୍ତାର ବିଷୟ ହେଉଛି, କଲ୍ୟାଣସିଂହପୁରରୁ ପଲକାଲିମା ଗ୍ରାମର ଦୂରତା ମାତ୍ର ପ୍ରାୟ ୨ କିଲୋମିଟର ହୋଇଥିବା ବେଳେ ଏହି ରାସ୍ତାରେ ପ୍ରାୟ ୨୬ଟି ହମ୍ପ୍ସ ରହିଥିବା କୁହାଯାଉଛି। ଏତେ କମ୍ ଦୂରତାରେ ଏତେ ସଂଖ୍ୟକ ହମ୍ପ୍ସ ରହିବା ଯୋଗୁଁ ଗାଡ଼ି ଚାଳକମାନଙ୍କୁ ବାରମ୍ବାର ଗାଡ଼ିର ବେଗ କମାଇବାକୁ ପଡ଼ୁଛି। ବିଶେଷକରି ରାତି ସମୟରେ ହମ୍ପ୍ସଗୁଡ଼ିକ ସ୍ପଷ୍ଟ ଦେଖା ନଗଲେ ଦୁର୍ଘଟଣାର ଆଶଙ୍କା ଅଧିକ ରହୁଛି। ଏହି ରାସ୍ତାରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକାଶ କରୁଛନ୍ତି। ତେଣୁ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ଏହି ରାସ୍ତାରେ ଥିବା ହମ୍ପ୍ସଗୁଡ଼ିକର ସଂଖ୍ୟା, ଅବସ୍ଥା ଓ ନିର୍ମାଣ ପଦ୍ଧତି ଯାଞ୍ଚ କରିବା ସହ ଆବଶ୍ୟକ ସ୍ଥଳେ ଉଚିତ ପଦକ୍ଷେପ ନେବାକୁ ଦାବି ହେଉଛି। ହମ୍ପ୍ସଗୁଡ଼ିକରେ ଧଳା ରଙ୍ଗର ଚିହ୍ନ ଓ ସତର୍କ ସୂଚନା ଫଳକ ଲଗାଇବା ସହ ରାତିରେ ଯାତାୟାତ ସୁରକ୍ଷିତ କରିବା ପାଇଁ ବ୍ୟବସ୍ଥା କରାଗଲେ ଦୁର୍ଘଟଣା ଆଶଙ୍କା କମିପାରିବ। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ସମସ୍ୟାର ସମାଧାନ ପାଇଁ କେବେ ପଦକ୍ଷେପ ନେଉଛି, ତାହାକୁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।
BACK TO TOP