Breaking
News
Breaking
News
21-Oct-2026
ଖୋର୍ଦ୍ଧା ତୋଟାପଡ଼ା ଶିଶୁଆ ହତ୍ୟାକାଣ୍ଡର ୪୮ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାସ୍, ଖୋର୍ଦ୍ଧା ଆଦର୍ଶ ଥାନା ପକ୍ଷରୁ ୫ ଜଣଙ୍କୁ ଗିରଫ |
ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ,୨୧/୧୦: ---
ଖୋର୍ଦ୍ଧା ତୋଟାପଡ଼ା ଇଟାଭାଟି ନିକଟ ଚାଞ୍ଚଲ୍ୟକର ଶିଶୁଆ ହତ୍ୟାକାଣ୍ଡର ୪୮ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାସ୍ କରିଛି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ। ଘଟଣା ଘଟିବା ପରେ ଖୋର୍ଦ୍ଧା ଏସପି ପରମାର ସ୍ମିତ ପାର୍ଶତ୍ତମ ଦାସ ଙ୍କ ନିର୍ଦେଶ କ୍ରମେ ଏସଡିପିଓ ପଙ୍କଜ କୁମାର ମାଝୀ ଓ ଆଦର୍ଶ ଥାନା ଅଧିକାରୀ ଓ ଆଦର୍ଶ ଥାନା ର ଅନ୍ୟ ଷ୍ଟାଫ ଙ୍କ ସହିତ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରାଯାଇ ଏହି ଘଟଣାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ସମେତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଆଜି ଖୋର୍ଦ୍ଧା ଏସଡିଜେଏମ୍ କୋର୍ଟକୁ ଚାଲାଣ କରାଯାଇଛି।
ମୃତକ ଜଣକ ଭାଲିଆବାଦିର ସୁଶୀଲ ଓରଫ ଶିଶୁଆ ବେହେରା। ଗତ ୧୯ ତାରିଖ ଅପରାହ୍ନ ପ୍ରାୟ ୪.୩୦ ସମୟରେ ସେ ମୋଟରସାଇକେଲରେ ଘରକୁ ଫେରୁଥିବା ବେଳେ ତୋଟାପଡ଼ା ଇଟାଭାଟି ନିକଟରେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ପତ୍ନୀଙ୍କ ଲିଖିତ ଅଭିଯୋଗ ଆଧାରରେ ଆଦର୍ଶ ଥାନାରେ ମାମଲା ନଂ. ୬୨୩/୨୬ ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା।
ପୋଲିସ ସୂଚନା ଅନୁଯାୟୀ, ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡରେ ବସ୍ରୁ ଟଙ୍କା ଆଦାୟ ଉପରେ ନିୟନ୍ତ୍ରଣକୁ ନେଇ ମୃତକ ଓ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ବେହେରା ଓରଫ ଜିତୁଙ୍କ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଚାଲିଥିଲା। ଗତ ୧୮ ତାରିଖରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ପରେ ଉଭୟ ପକ୍ଷରୁ ମାମଲା ଓ ପାଲଟା ମାମଲା (୬୨୧/୨୬ ଓ ୬୨୨/୨୬) ରୁଜୁ ହୋଇଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ଏହି ହତ୍ୟାକାଣ୍ଡ ଘଟାଯାଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।
ଗିରଫ ଅଭିଯୁକ୍ତମାନେ ହେଲେ ଭାଲିଆବାଦିର ଜିତେନ୍ଦ୍ର ବେହେରା ଓରଫ ଜିତୁ (୫୦), ପ୍ରଦୀପ ବେହେରା ଓରଫ ଡକା (୨୭), ଯଶବନ୍ତ ବେହେରା ଓରଫ ନନ୍ଦ (୧୯), ବେଗୁନିଆ ଗଡ଼ମନ୍ତ୍ରୀର କାହ୍ନୁ ଚରଣ କାଣ୍ଡି ଓରଫ କାଳିଆ (୩୨) ଏବଂ ଗାନ୍ଧୀପଡ଼ିଆର ଦିବାକର ମହାରଣା ଓରଫ ରାଜା (୩୦)।ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଗୋଟିଏ ଖଣ୍ଡା ଓ ଚେନ୍ ହୁଇଲ୍ ଲାଗିଥିବା ଗୋଟିଏ ଷ୍ଟିଲ୍ ପାଇପ୍ ହାତପୋଖରୀରୁ ଉଦ୍ଧାର କରାଯାଇଛି। ଏହାସହ ଦୁଇଟି ହିରୋ ଗ୍ଲାମର ମୋଟରସାଇକେଲ (OR-02-BQ-1633 ଓ OD-33F-5150) ଜବତ ହୋଇଛି। ବୈଜ୍ଞାନିକ ଟିମ୍ ଘଟଣାସ୍ଥଳ ଯାଞ୍ଚ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଛି। ଅଭିଯୁକ୍ତ ମାନଙ୍କ ପୂର୍ବ ଅପରାଧିକ ରେକର୍ଡ ଯାଞ୍ଚ କରାଯାଉଥିବା ବେଳେ ତଦନ୍ତ ଜାରି ରହିଥିବା ଆଦର୍ଶ ଥାନା ପକ୍ଷରୁ ସୂଚନା ଦିଆଯାଇଛି l
BACK TO TOP