Breaking
News
Breaking
News
30-Oct-2026
ବିଶ୍ୱ ମିତବ୍ୟୟିତା ଦିବସ ଅବସରରେ ରାୟଗଡ ଠାରେ ଜିଲ୍ଲାସ୍ତରୀୟ ସଚେତନତା ସଭା ଅନୁଷ୍ଠିତ
ଓଡିଶା ଜନମତ ରାୟଗଡ, ତା. ୩୦/୧୦,
କାମେଶ୍ୱର କରକରିଆ :----
ବିଶ୍ୱ ମିତବ୍ୟୟିତା ଦିବସ ପାଳନ ଅବସରରେ ଆଜି ରାୟଗଡ ରାମକୃଷ୍ଣ ନଗରସ୍ଥିତ ଏମ୍.ଏସ୍.ଏମ୍.ଇ. ସଭାଗୃହଠାରେ ଏକ ଜିଲ୍ଲାସ୍ତରୀୟ ସଚେତନତା ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ କହ୍ନର, ଓ.ପ୍ର.ସେ. ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ପ୍ରାରମ୍ଭରେ ଭାରପ୍ରାପ୍ତ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ, ରାୟଗଡ ଶ୍ରୀମତୀ ସସ୍ମିତା ପଟ୍ଟନାୟକ ଉପସ୍ଥିତ ଅତିଥି, ଅଧିକାରୀ ଓ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସତ୍ୟ କୁମାର ନନ୍ଦ, ଡିଏସ୍ପି ଶ୍ରୀମତୀ ମୁନି ଆଚାରି, ସି.ଟି. ଜି.ଏସ୍.ଟି. ଅଧିକାରୀ ଶ୍ରୀ ବି.କେ. ମହାପାତ୍ର, ଡାକଘର ଅଧୀକ୍ଷକ ଶ୍ରୀ ଦୁର୍ଯ୍ୟୋଧନ ବାରିକ, ଏଲ୍.ଡି.ଏମ୍. ଶ୍ରୀ ଦେବେନ୍ଦ୍ର କୁମାର ବାଉରୀ, ସାଇବର କ୍ରାଇମ୍ ଓ ଆର୍ଥିକ ଅପରାଧ ଶାଖାର ଇନ୍ସପେକ୍ଟର ଶ୍ରୀ ଅବିନାଶ ରେଡ୍ଡୀ, ଡି.ସି.ପି.ଓ. ଶ୍ରୀ ମହାଦେବ ଚିଚୁଆନ, ଭାରପ୍ରାପ୍ତ ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ ଅଧିକାରୀ, ରାୟଗଡ ଶ୍ରୀମତୀ ରୂପାଲୀ ପାତ୍ର ଏବଂ ଗୁଣୁପୁରର ଭାରପ୍ରାପ୍ତ ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀମତୀ ରଞ୍ଜିତା ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ମୁଖ୍ୟ ଅତିଥି ଶ୍ରୀ କହ୍ନର ନିଜ ବକ୍ତବ୍ୟରେ ଜରୁରୀକାଳୀନ ପରିସ୍ଥିତି ଓ ଭବିଷ୍ୟତର ଆବଶ୍ୟକତା ପୂରଣ ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ଆୟର ଏକ ନିର୍ଦ୍ଦିଷ୍ଟ ଅଂଶ ନିୟମିତ ସଞ୍ଚୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ସାଇବର ଅପରାଧରୁ ସୁରକ୍ଷିତ ରହିବା ପାଇଁ ସମସ୍ତଙ୍କୁ ସଚେତନ ଓ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ।
ଡାକଘର ଅଧୀକ୍ଷକ ଶ୍ରୀ ଦୁର୍ଯ୍ୟୋଧନ ବାରିକ ବିଶ୍ୱ ମିତବ୍ୟୟିତା ଦିବସର ପୃଷ୍ଠଭୂମି ଓ ଏହାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ଡାକଘର ଓ ବ୍ୟାଙ୍କ ମାଧ୍ୟମରେ ଉପଲବ୍ଧ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସତ୍ୟ କୁମାର ନନ୍ଦ ନିଜ ବକ୍ତବ୍ୟରେ କହିଥିଲେ ଯେ ନିୟମିତ ଭାବେ ଅଳ୍ପ ଅଳ୍ପ ଅର୍ଥ ସଞ୍ଚୟ କରିବା ଦ୍ୱାରା ଭବିଷ୍ୟତରେ ଏକ ବଡ଼ ଆର୍ଥିକ ପୁଞ୍ଜି ଗଠନ କରାଯାଇପାରିବ।ସେହିପରି ସାଇବର କ୍ରାଇମ୍ ଶାଖାର ଇନ୍ସପେକ୍ଟର ଶ୍ରୀ ଅବିନାଶ ରେଡ୍ଡୀ ଭୟଭୀତ କରିବା ଓ ଅଧିକ ଅର୍ଥ ଲାଭର ପ୍ରଲୋଭନ ଦେଖାଇ ହେଉଥିବା ବିଭିନ୍ନ ସାଇବର ଠକେଇ ସମ୍ପର୍କରେ ସଚେତନ କରାଇଥିଲେ। ଅଜଣା ବ୍ୟକ୍ତିଙ୍କ ସହ ଓ.ଟି.ପି., କେ.ୱାଇ.ସି. ସମ୍ବନ୍ଧୀୟ ତଥ୍ୟ ଓ ଏ.ଟି.ଏମ୍. କାର୍ଡର ବିବରଣୀ ଆଦି ଆଦୌ ସେୟାର ନକରିବାକୁ ସେ ପରାମର୍ଶ ଦେଇଥିଲେ। ଏଲ୍.ଡି.ଏମ୍. ଶ୍ରୀ ଦେବେନ୍ଦ୍ର କୁମାର ବାଉରୀ ଜୀବନରେ ଶୃଙ୍ଖଳା ଓ ନିୟମିତ ସଞ୍ଚୟର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଅଟଳ ପେନସନ୍ ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।କାର୍ଯ୍ୟକ୍ରମର ଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ସଭା ପରିଚାଳନା କରିବା ସହ ଉପସ୍ଥିତ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ।ଏହି ସଚେତନତା ସଭାରେ ବିଭିନ୍ନ ବିଭାଗର ଅଧିକାରୀ, ଏମ୍.ଏସ୍.ଏମ୍.ଇ. କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟା ଓ ସାଧାରଣ ଜନତାଙ୍କ ସମେତ ମୋଟ ୮୬ ଜଣ ଅଂଶଗ୍ରହଣ କରିଥିଲେ।
BACK TO TOP