Breaking
News
Breaking
News
19-Jun-2025
କଳିଙ୍ଗାଘାଟିରେ ଭୁଶୁଡ଼ିଗଲା ନିର୍ମାଣାଧୀନ ସୁରକ୍ଷା ପାଚେରି କାମ ସଂକୀର୍ଣ୍ଣ ରାସ୍ତାରେ ଯାତାୟାତ କରୁଛି ଯାନବାହନ
ଓଡିଶା ଜନମତ ଭଞ୍ଜନଗର, ସପନ କୁମାର ସେଠୀ
କଳିଙ୍ଗାଘାଟିର ଅନ୍ଧାରକୋଟି ଠାରେ ଜାତୀୟ ରାଜପଥ ନଂ୧୫୭ ଉପରେ ନିର୍ମାଣାଧୀନ ସୁରକ୍ଷା ପାଚେରି କାମ ଭୁଶୁଡ଼ି ପଡ଼ିବା ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇଯାଇଛି। ଫଳରେ ଯାନବାହନ ଯାତାୟାତ କରିବା ଅସୁବିଧା ହୋଇପଡ଼ିଛି । ଗତକାଲି ସନ୍ଧ୍ୟା ସମୟରେ ଏହା ଘଟଣା ଘଟିଛି। ତେବେ ଠିକା କାର୍ଯ୍ୟ କରୁଥିବା ସଂସ୍ଥା ଏବେ ଏହାକୁ ସଜାଡ଼ିବାରେ ଲାଗିଛନ୍ତି। ପ୍ରକାଶ ଥାଉକି, ଗତବର୍ଷ ମଧ୍ୟ ଏହିଭଳି କାର୍ଯ୍ୟ ଚାଲୁଥିବା ସମୟରେ ଏମିତି ଭୁଶୁଡ଼ି ପଡିଥିଲା। କାର୍ଯ୍ୟ କରୁଥିବା ବାହାର ରାଜ୍ୟର ଠିକା ସଂସ୍ଥା ଏହାକୁ ସଜାଡ଼ି ଥିବା ବେଳେ ପୁଣି ଗତକାଲି ଭୁଶୁଡ଼ି ପଡ଼ିଛି। ବାରମ୍ବାର ଏହି କାର୍ଯ୍ୟ ଭୁଶୁଡ଼ିବା ଯୋଗୁଁ କାର୍ଯ୍ୟର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି। ଯଦି ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଏ ତାହା ହେଲେ ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାର ସଂଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇଯିବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, କଳିଙ୍ଗାଘାଟି ଗଞ୍ଜାମ ଜିଲ୍ଲା ସହ କନ୍ଧମାଳ ଜିଲ୍ଲା ସଂଯୋଗ କରୁଛି। ଏହି ଘାଟି ଦେଇ ଦୈନିକ ପ୍ରାୟ ଶହଶହ ଗାଡ଼ି ଯିବାଆସିବା କରୁଛି। କନ୍ଧମାଳରୁ ଭୁବନେଶ୍ଵର, ବ୍ରହ୍ମପୁର ଓ ଭଞ୍ଜନଗର ଆଦି ବିଭିନ୍ନ ସ୍ଥାନକୁ
ଯାତାୟାତ କରୁଥିବା ବେଳେ ବାହାର ଜିଲ୍ଲାରୁ ରାୟଗଡ଼ା, ରାୟପୁର, କଳାହାଣ୍ଡି, ରାଉରକେଲା ଓ ସମ୍ବଲପୁର ଆଦି ବିଭିନ୍ନ ସ୍ଥାନକୁ ବହୁ ଯାତ୍ରୀବାହୀ ବସ୍, ମାଲବାହୀ ଟ୍ରକ୍, କାର୍ ଓ ବାଇକ୍ ଯିବାଆସିବା କରନ୍ତି। କଳିଙ୍ଗା ଘାଟି ଦୀର୍ଘ ୧୦ କିମି ସୀମା ରହିଥିବା ବେଳେ ଅନ୍ଧାରକୋଟି ଠାରେ ପ୍ରାୟ ଦୁଇ ବର୍ଷ ହେବ ରାସ୍ତା ଓସାର କାମ ଚାଲୁ ରହିଛି। ରାସ୍ତା କାମ ଚାଲିଥିବା ବେଳେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ସୁରକ୍ଷା
ପାଚେରି କାର୍ଯ୍ୟ କିପରି ଦୁଇ ଦୁଇ ଥର ଭୁଶୁଡ଼ି ପଡ଼ିଲାଣି, ସେ ନେଇ ଧ୍ୟାନ ଦେବାକୁ ଦାବି ହୋଇଛି। ଭବିଷ୍ୟତରେ ଯଦି କୌଣସି ପ୍ରକାରେ ଏମିତି ଗାର୍ଡ଼ୱାଲ ଭୁଶୁଡ଼ିଯାଏ, ତେବେ ସେହି ସମୟରେ ଯାତାୟାତ କରୁଥିବା ଯାତ୍ରୀବାହୀ ବସ୍ କିମ୍ବା ଟ୍ରକ୍ର ଅବସ୍ଥା କ`ଣ ହେବ ତାହା କହିବା ମୁସ୍କିଲ । ତେଣୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏବଂ ପ୍ରଶାସନ ଏହି କାମ ପ୍ରତି ସମ୍ପୂର୍ଣ୍ଣ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।
BACK TO TOP