Breaking
News
Breaking
News
03-Mar-2026
ଭାରତୀୟ ଲୋକଭାଷାବିତ୍ ଲୋକପ୍ରିୟ ଗବେଷକ ପଦ୍ମଶ୍ରୀ ଡ. ମହେନ୍ଦ୍ର କୁମାର ମିଶ୍ର,
ଓଡିଶା ଜନ ମତ ବ୍ୟୁରୋ
ପଠନ, ଲିଖନ, ଶ୍ରବଣ, କଥନ ଓ ବୋଧଗମ୍ୟତା ଭଳି ଭାଷାଗତ ଦକ୍ଷତା ଅଭାବରୁ ଆମ ଦେଶରେ ବ୍ୟବହୃତ ଅନେକ ଭାଷା ଆଜି ଅବକ୍ଷୟାଭିମୁଖୀ ହୋଇପଡ଼ିଛି । ଏକ ଆକଳନରୁ ସ୍ପଷ୍ଟ ହୋଇଛି, ଭାରତରେ ପ୍ରାୟ ୧୯୦୦୦ଟି ମାତୃଭାଷାର ଅବସ୍ଥା ସମ୍ପ୍ରତି ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି I ପ୍ରକୃତ ପକ୍ଷେ ଏହି ବିପନ୍ନପ୍ରାୟ ସ୍ୱଦେଶୀ ଭାଷାଗୁଡ଼ିକର ରକ୍ଷଣାବେକ୍ଷଣର ସୁନିଶ୍ଚିତ ଆବଶ୍ୟକତା ରହିଛି । ଏଥିସକାଶେ ବ୍ୟକ୍ତିଗତ ଠାରୁ ଗୋଷ୍ଠୀ ଅର୍ଥାତ୍ ସାମୂହିକ ଉଦ୍ୟମ ନିଷ୍ଠା ଆନ୍ତରିକତା ଉତ୍ସାହର ପୂର୍ଣ୍ଣ ସହଯୋଗ ନିତାନ୍ତ ପ୍ରୟୋଜନ ହୃଦବୋଧ ହୁଏ । ଅବକ୍ଷୟାଭିମୁଖୀ ସ୍ୱଦେଶୀ ଭାଷାକୁ ସୁରକ୍ଷା ପ୍ରଦାନ ଭଳି ପ୍ରମୁଖ ଦାୟିତ୍ଵ ଗ୍ରହଣ ପାଇଁ ସ୍ୱତନ୍ତ୍ର ଆଗ୍ରହ ପ୍ରକାଶ ସାଙ୍ଗକୁ ଭାଷା ଉଜ୍ଜୀବିତ କରିବାର ସଫଳ ପ୍ରୟାସ ହିଁ ଭାଷାର ବିକାଶରେ ଉଲ୍ଲେଖନୀୟ ଭୂମିକା ତୁଲାଇବ ।
ଏଭଳି ଗୁରୁ ଦାୟିତ୍ଵ ବହନ କରି ଆସିଥିବା ଜଣେ ଉତ୍ସର୍ଗୀକୃତ ବିଦ୍ୱାନ ତଥା ବିଶିଷ୍ଟ ଭାଷାତତ୍ତ୍ୱବିତ୍ ସଫଳ କାର୍ଯ୍ୟକର୍ତ୍ତାଙ୍କ ଭିତରେ ପଦ୍ମଶ୍ରୀ ଡ. ମହେନ୍ଦ୍ର କୁମାର ମିଶ୍ର ଅନ୍ୟତମ । ବହୁଭାଷୀ ଶିକ୍ଷା ବିଶେଷ କରି ଓଡ଼ିଶାର ଆଦିବାସୀ ପିଲାମାନଙ୍କ ମାତୃଭାଷାର ସୁରକ୍ଷା ନିମନ୍ତେ ଗୁରୁତ୍ୱାରୋପ କରି ତାହାଙ୍କ ନେତୃତ୍ୱ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ୱଦେଶୀ ଭାଷାଗୁଡ଼ିକୁ ପ୍ରାଥମିକ ଶିକ୍ଷାରେ ଏକୀକୃତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କ ମାତୃଭାଷାରୁ ଓଡ଼ିଆ ଏବଂ ଇଂରାଜୀକୁ ସହଜରେ ପରିବର୍ତ୍ତନ କରିପାରିବେ । ତାଙ୍କର ଉଚ୍ଚତର ଗବେଷଣା ଏବଂ ଶିକ୍ଷାଗତ ନମୁନା ମାତୃଭାଷା ଆଧାରିତ ଶିକ୍ଷା ଲାଭ କ୍ଷେତ୍ରରେ ମାଇଲ ଖୁଣ୍ଟ ପ୍ରାୟ ସାବ୍ୟସ୍ତ ହୋଇଛି । ଫଳତଃ ଭାଷା ଶିକ୍ଷା ଉପରେ ରାଜ୍ୟ ଏବଂ ଜାତୀୟନୀତିକୁ ତାହା ଅନେକାଂଶରେ ପ୍ରଭାବିତ କରିଛି । ବିପନ୍ନ ଆଦିବାସୀ ଭାଷାଗୁଡ଼ିକୁ ବିଲୁପ୍ତିରୁ ରକ୍ଷା କରିବାର ଜରୁରୀ ଆବଶ୍ୟକତାକୁ ସ୍ୱୀକାର କରି ଡ. ମିଶ୍ର ଭାଷା ଡକ୍ୟୁମେଣ୍ଟେସନ୍ ଏବଂ ସଂରକ୍ଷଣରେ ଅଗ୍ରଯୋଦ୍ଧା ତୁଲ୍ୟ ଗୁରୁ ଦାୟିତ୍ଵ ସମ୍ପାଦନ କରିଛନ୍ତି, ଯାହାକି କାଳକାଳକୁ ଅବିସ୍ମରଣୀୟ ହେବା ସଙ୍ଗେସଙ୍ଗେ ଉଜ୍ଜୀବିତ ହୋଇରହିବ । ତାଙ୍କର ବ୍ୟାପକ କ୍ଷେତ୍ରକାର୍ଯ୍ୟଦ୍ୱାରା ସଉରା, କୁଇ, ଦେଶିଆ, କୋୟା ଭଳି ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ମୌଖିକ ଭାଷା ପରମ୍ପରା, ଲୋକକଥା, ଭାଷାଗତ ସଂରଚନା, ସଂଗ୍ରହ ଏବଂ ବିଶ୍ଳେଷଣ ଆଦି କାର୍ଯ୍ୟକ୍ରମ ସୂଚାରୁରୂପେ ସମାହିତ ହୋଇଛି । ତାହାଙ୍କ ତ୍ୟାଗ ଅବଦାନ ସ୍ୱଦେଶୀ ଭାଷାଗୁଡ଼ିକରେ ଉନ୍ନତମାନର ଶୈକ୍ଷିକ ସାମଗ୍ରୀର ବିକାଶରେ ସହାୟକ ହୋଇଛି । ସେଗୁଡ଼ିକର ନିରନ୍ତର ବ୍ୟବହାର ଭବିଷ୍ୟତ ପୀଢ଼ି ପର୍ଯ୍ୟନ୍ତ ପ୍ରଚାର ପ୍ରସାରଣ ସୁନିଶ୍ଚିତ କରିଛି । ଭାଷାଗତ ଗବେଷଣା ବ୍ୟତୀତ ପଦ୍ମଶ୍ରୀ ଡ. ମିଶ୍ର ଶତାଧିକ ଲୋକକଥା, ଆଦିବାସୀ ସାହିତ୍ୟ ରଚନା ଏବଂ ମୌଖିକ ପରମ୍ପରାଭିତ୍ତିକ ପୁସ୍ତକ ପ୍ରଣୟନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ମାତୃଭାଷାଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହିତ କରୁଥିବା ନୀତି ପ୍ରସ୍ତୁତ କରିବା ପାଇଁ ସେ ସରକାରୀ ସଂସ୍ଥା, ଶିକ୍ଷାନୁଷ୍ଠାନ ଏବଂ ବେସରକାରୀ ସଂଗଠନ ସହିତ ସକ୍ରିୟ ଭାବେ ସାମିଲ ହୋଇ ସମୟୋଚିତ ପରାମର୍ଶ ମାର୍ଗଦର୍ଶନ କରିଛନ୍ତି । ପାଠଚକ୍ର, ସମ୍ମିଳନୀ ଏବଂ କର୍ମଶାଳାରେ ଅଂଶଗ୍ରହଣ କରି ଡକ୍ଟର ମିଶ୍ର ଭାଷାଗତ ଅଧିକାରର ଗୁରୁତ୍ୱ ଏବଂ ଆଦିବାସୀ ଭାଷାଗୁଡ଼ିକୁ ମୁଖ୍ୟଧାରାର ଶିକ୍ଷାରେ ସାମିଲ କରିବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିଛନ୍ତି । ବହୁଭାଷୀ ଶିକ୍ଷା, ଜନଜାତି ଭାଷା ଓ ସ୍ୱଦେଶୀ ଭାଷା ସଂରକ୍ଷଣ ପ୍ରତି ପଦ୍ମଶ୍ରୀ ମିଶ୍ରଙ୍କ ଅତୁଟ ପ୍ରତିବଦ୍ଧତା ତାହାଙ୍କୁ ଭାଷାକ୍ଷେତ୍ରରେ ଏକ ଅଗ୍ରଣୀ ବ୍ୟକ୍ତିତ୍ୱରେ ପରିଣତ କରିଛି । ଗତ ଚାରିଦଶନ୍ଧି ଧରି, ସେ ଲୁପ୍ତପ୍ରାୟ ଆଦିବାସୀ ଭାଷାଗୁଡ଼ିକୁ ଶୈକ୍ଷିକ ପାଠ୍ୟକ୍ରମରେ ଏକୀକୃତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି, ଯାହାଦ୍ୱାରା ଅସଂଖ୍ୟ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଅଭିଜ୍ଞତା ସୁସମୃଦ୍ଧ ହେବା ସହିତ ସୁଧାର ଆସିପାରିଛି । ଜନଜାତି ଭାଷା ସୁରକ୍ଷାରେ ତାଙ୍କର ଅସାଧାରଣ କାର୍ଯ୍ୟଦକ୍ଷତା ପ୍ରୟାସକୁ ସ୍ୱୀକୃତି ଦେଇ ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଦ୍ୱାରା ଡକ୍ଟର ମିଶ୍ର ୨୦୨୩ରେ ୟୁନେସ୍କୋ ଅନ୍ତର୍ଜାତୀୟ ମାତୃଭାଷା ପୁରସ୍କାରରେ ସମ୍ମାନୀତ ହୋଇ ଜଣେ ନିଆରା ବ୍ୟକ୍ତିତ୍ଵର ପରିଚୟ ପ୍ରଦାନ କରିଛନ୍ତି । ତାହାଙ୍କ ଭାଷାଭିତ୍ତିକ ସାରସ୍ଵତ ସୃଷ୍ଟି ସଂରଚନା ସବିଶେଷ ସୁମହତ ଅବଦାନ ପାଇଁ ୧୯୯୯ରେ "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର", ଆଦିବାସୀ ଭାଷା ଏବଂ ସଂସ୍କୃତିରେ ଆଜୀବନ ସଫଳତା ପାଇଁ "ବୀର ଶଙ୍କର ଶାହା ରଘୁନାଥ ପୁରସ୍କାର" ସହିତ ଏହିବର୍ଷ ଭାରତ ସରକାରଙ୍କ ଦ୍ଵାରା ଡକ୍ଟର ମିଶ୍ର, "ପଦ୍ମଶ୍ରୀ ଉପାଧି"ରେ ବିଭୂଷିତ ହେବା ଆମ ପାଇଁ ତଥା ସମଗ୍ର ଜନଜାତି ସମାଜ ପାଇଁ ଗର୍ବ ଓ ଗୌରବର ବିଷୟ ।
ଡ. ମିଶ୍ର ଭାରତ ବାହାରେ ଥାଇଲାଣ୍ଡ, ଚୀନ୍, ଦକ୍ଷିଣ କୋରିଆ, ବାଂଲାଦେଶ, ତଥା ରୁଷ୍ ଭଳି ଅନେକ ଦେଶର ବହୁଭାଷୀ ସମାଜରେ ଭାଷାଗତ ଆହ୍ୱାନର ମୁକାବିଲା ଉପରେ ଗୁରୁତ୍ଵ ଆରୋପ ଉପସ୍ଥାପନ କରି ସମାବେଶୀ ଏବଂ ନ୍ୟାୟସଙ୍ଗତ ଶିକ୍ଷା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାରେ ବହୁଭାଷୀ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ବିଶ୍ଵ ଦରବାରରେ ଚର୍ଚ୍ଚିତ ହୋଇଛନ୍ତି । ତାଙ୍କର ସମର୍ପଣ ଏବଂ ସଫଳତା କେବଳ ଲୁପ୍ତପ୍ରାୟ ଭାଷାଗୁଡ଼ିକୁ ସଂରକ୍ଷିତ କରିନାହିଁ ବରଂ ସାଂସ୍କୃତିକ ଏବଂ ଭାଷାଗତ ବିବିଧତାକୁ ଶିକ୍ଷାର ମୁଖ୍ୟଧାରାରେ ଅନ୍ତର୍ଭୁକ୍ତ କରି ଶୈକ୍ଷିକ ପରିଦୃଶ୍ୟକୁ ମଧ୍ୟ ସୁସମୃଦ୍ଧ ଓ ପରାପୁଷ୍ଟ କରିଛି । ସ୍ୱଦେଶୀ ଭାଷାଗୁଡ଼ିକର ପ୍ରଚାର ଏବଂ ସାଂସ୍କୃତିକ ଐତିହ୍ୟ ସଂରକ୍ଷଣରେ ବ୍ୟାପକ କାର୍ଯ୍ୟ ପାଇଁ ପଦ୍ମଶ୍ରୀ ମିଶ୍ର ଚିର ସ୍ମରଣୀୟ ହୋଇରହିବେ । ପଦ୍ମଶ୍ରୀ ମିଶ୍ରଙ୍କର ସୃଜନଶୀଳ ସାହିତ୍ୟ, ସଂସ୍କୃତି ଓ ଲୋକଭାଷାପ୍ରୀତି ସମ୍ପର୍କିତ ଉଲ୍ଲେଖନୀୟ ଅବଦାନ ଆଗାମୀ ପୀଢିଙ୍କୁ ଦିଗଦର୍ଶନ ଯୋଗାଇବା ସହିତ ଭାଷାର ପ୍ରଗତି ପଥରେ ସମୁଜ୍ୱଳ ଜ୍ୟୋତିଷ୍କ ତୁଲ୍ୟ ଉଚିତ ମାର୍ଗ ପ୍ରଦର୍ଶନରେ ପୂର୍ଣ୍ଣ ସହାୟତା ପ୍ରଦାନ କରିଚାଲିଥିବ, ଏଥିରେ ଦ୍ଵିମତ ନାହିଁ I
ରିପୋର୍ଟ
ଡକ୍ଟର ଦ୍ଵାରିକାନାଥ ମହାରଣା
ଖଲ୍ଲିକୋଟ, ଗଂଜାମ
BACK TO TOP